ଆମକଥା
କାମ କଲାବେଳେ ଅନେକ କଥା ମନକୁ ଆସେ। କାମ ବିଷୟରେ ସାଥୀମାନଙ୍କର ପ୍ରତିକ୍ରିୟା ବି ଆସେ। ଏସବୁ ମିଶିକରି କାମକୁ ଆଗେଇ ନିଅନ୍ତି। ପାଠକମାନେ କିନ୍ତୁ ଏକଥା ଜାଣିବାର ସୁଯୋଗ ପାଆନ୍ତି ନାହିଁ। କିଛି କଥା କିନ୍ତୁ ଜଣାଇବା ଦରକାର ପଡ଼େ, ଦରକାର ନ ଥିଲେ ବି ବାଣ୍ଟିବାକୁ ମନ ହୁଏ। ସେହିଭଳି କଥା ସବୁରୁ କିଛି ଏଠାରେ ରହିଛି।
୧୨ ନଭେମ୍ବର ୨୦୧୭, ରବିବାର
ଆଜି ଆପଣ ଦେଖୁଥିବା ଓଡ଼ିଆ ବିଭବ ୱେବସ୍ଥଳୀର ମଞ୍ଜି ପୋତା ଯାଇଥିଲା ପ୍ରାୟ ୧୩ ବର୍ଷ ତଳେ। ଓଡ଼ିଆ ଭାଷାରେ କମ୍ପ୍ୟୁଟର କାମକୁ ଆଗେଇ ନେବା ପାଇଁ ଓ କମ୍ପ୍ୟୁଟର ସାହାଯ୍ୟରେ ଓଡ଼ିଆ ବହିପତ୍ର ସଂରକ୍ଷଣ ପାଇଁ କିଛି କାମ ସେବେ ସୃଜନିକା ତରଫରୁ ଆରମ୍ଭ କରାଯାଇଥିଲା। ଏହାର କିଛି ବିବରଣୀ ରହିଛି ପରିଚିତି ପୃଷ୍ଠାରେ, କିଛି ଅଧିକ ଯୋଡ଼ିବାର ପ୍ରସ୍ତୁତି ଚାଲିଛି।
ସଂରକ୍ଷିତ ସାମଗ୍ରୀ ପାଇଁ ୱେବ୍ସ୍ଥଳୀ ତିଆରି କରିବା ବା କରାଇବା ଦିଗରେ ସୃଜନିକା ଆଗ୍ରହୀ ନ ଥିଲା। କାରଣ ଏଥିପାଇଁ ଦରକାର ଜ୍ଞାନକୌଶଳ ଓ ସମ୍ବଳ ଯୋଗାଡ଼ କରିବାରେ ଲାଗିଲେ ମୂଳ ସଂରକ୍ଷଣ କାମରେ ବାଧା ଆସିବାର ଡର ଥିଲା। ଏଥିପାଇଁ କିଛି ଦଳ ଓ ଅନୁଷ୍ଠାନ ସହିତ ଆଲୋଚନା ଚାଲିଲା, କିନ୍ତୁ କିଛି ବିଶେଷ ଫଳ ମିଳିଲାନାହିଁ। ବରଂ କିଛି କ୍ଷତିକାରକ ପରିସ୍ଥିତି ସୃଷ୍ଟିହେଲା। ଶେଷରେ ଗତ ଏପ୍ରିଲ ମଝିରେ ନିଜର ୱେବ୍ସ୍ଥଳୀ କାମ ଆରମ୍ଭ ହେଲା ଓ ଆଜି ତା’ର ଗୋଟିଏ ପାଦ ପୂରିଲା। କାମ କିନ୍ତୁ ସରିବା ବେଶ୍ ଦୂରର କଥା।
ଆଜିର ୱେବ୍ସ୍ଥଳୀଟି ମୁଖ୍ୟତଃ ଗୋଟିଏ ଡିଜିଟାଲ୍ ଓଡ଼ିଆ ପାଠାଗାର ଯାହାର ମୁଖ୍ୟ ବିଭବ ହେଉଛି ୧୯୫୦ ମସିହା ପୂର୍ବର ପତ୍ରପତ୍ରିକା ଏବଂ ରେଫରେନ୍ସ୍ ଓ ବିଶେଷ ବିଭାଗ ଦୁଇଟି। ଆଜି ଥିବା ବହିର ସଂଖ୍ୟା ଖୁବ୍ କମ୍। କିନ୍ତୁ ପ୍ରତି ସପ୍ତାହରେ ନୂଆ ବହି ଆଦି ଯୋଡ଼ି ଚାଲିବାର ଯୋଜନା ଆମର ରହିଛି। ଅନ୍ୟ କିଛି ବିଭାଗରେ କିଛି କାମ ହୋଇପାରିନାହିଁ। ସାଧନ ଓ ସଂଗୋଷ୍ଠୀ ଫାଙ୍କା ରହିଛି। ଖୁବ୍ ଶୀଘ୍ର ତାହା ପୂରା ହେବ। ବୈଷୟିକ ଦୃଷ୍ଟିରୁ ମଧ୍ୟ କିଛି କାମ କରିବାର ବାକି ଅଛି।
ଆଶାକରୁଛୁ ୱେବ୍ସ୍ଥଳୀଟି କିଛି ନୂଆ ଉତ୍ସାହ ସୃଷ୍ଟିକରିବ ଏବଂ ନୂଆ ସମ୍ପୃକ୍ତି ଆଣିବ। ଆପଣଙ୍କ ମତାମତ ଆଗେଇବାରେ ଆମକୁ ନିଶ୍ଚୟ ସାହାଯ୍ୟ କରିବ। ତାହା ଅପେକ୍ଷାରେ ବର୍ତ୍ତମାନ ପାଇଁ ରହୁଛୁ।
୧୨ ନଭେମ୍ବର ୨୦୨୦, ଗୁରୁବାର
‘ଓଡ଼ିଆ ବିଭବ’ ୱେବ୍ସ୍ଥଳୀକୁ ଆଜି ତିନି ବର୍ଷ ପୂରିଲା। ଏହା ପାଳନ କରିବା ପାଇଁ କିନ୍ତୁ କାହା ମନରେ ଉତ୍ସାହ ନାହିଁ। ମୁଖ୍ୟ କାରଣ ହେଉଛି ଏହାର ଅନିଶ୍ଚିତ ଭବିଷ୍ୟତ।
ଆରମ୍ଭରୁ ହିଁ ଏକଥା ଆମେ ଜାଣିଥିଲୁ ଏବଂ ସେଥିପାଇଁ ୱେବ୍ସ୍ଥଳୀ ଖୋଲିବାକୁ ଚାହିଁ ନ ଥିଲୁ। ତଥାପି ଆଉ କେହି ନ କରିବାରୁ ବା ତିଆରି କରାଯାଇଥିବା ୱେବ୍ସ୍ଥଳୀର ଉପଯୋଗିତା ବିଷୟରେ ଆମର ସନ୍ଦେହ ଥିବାରୁ ଆମକୁ ଏହା ଆରମ୍ଭ କରିବାକୁ ହେଲା – ୧୧ ବର୍ଷର ଡିଜିଟାଇଜେସନ୍ କାମ ପରେ। ଆଶା ଥିଲା ଏହାକୁ ଦେଖିଲା ପରେ କେଉଁ ଅନୁଷ୍ଠାନ ହୁଏତ ଏଥିରେ ଯୋଡ଼ିହେବା ପାଇଁ ଚାହିଁବ ଓ/ବା କାମର ଓ ୱେବ୍ସ୍ଥଳୀର ଦାୟିତ୍ୱ ହାତକୁ ନେବା ପାଇଁ ଆଗେଇ ଆସିବ। ଅନେକ ଅନୁଷ୍ଠାନ ସହିତ ଯୋଗାଯୋଗ ମଧ୍ୟ ଆମେ କରିଛୁ, କିନ୍ତୁ କିଛି ଫଳ ମିଳିନାହିଁ।
ଓଡ଼ିଆ ବିଭବ କାମର ତିନୋଟି ମୁଖ୍ୟ ପାଦ ହେଉଛି – ୧. ବହି ଓ ଲେଖକ/ପରିବାରଙ୍କ ସମ୍ମତି ସଂଗ୍ରହ କରିବା, ୨. ଡିଜିଟାଇଜେସନ୍, ୩. ୱେବ୍ସ୍ଥଳୀର ବିକାଶ ଓ ରକ୍ଷଣାବେକ୍ଷଣ। ଏସବୁର ସଂଯୋଜନା ଓ ପରିଚାଳନା ଏକ ସ୍ୱତନ୍ତ୍ର କାମ।
ପାଦ ୨ ପାଇଁ ଲୋକବଳର ଆବଶ୍ୟକତା ବହୁତ, ବିଶେଷ କରି ଲମ୍ବା ସମୟ ପାଇଁ କିଛି ମାତ୍ରାରେ ବିରକ୍ତିକର କାମ କରିବା ପାଇଁ ପ୍ରସ୍ତୁତ ଥିବା ଲୋକ। ବୈଷୟିକ ଜ୍ଞାନ ପ୍ରାୟ ଦରକାର ନାହିଁ, କିନ୍ତୁ ମନଟିଏ ନିଶ୍ଚିତ ଦରକାର। କାମଟିକୁ ଗଧ ଖଟଣି କହିଲେ ଭୁଲ ହେବନାହିଁ। (ଶ୍ରୀଯୁକ୍ତ ଶରତ ମହାରଣା ଥରେ ପ୍ରଶ୍ନ କରିଥିଲେ – ଘଣା ପେଲିବ କିଏ?) ଆଜି ଯାଏଁ ଆମେ ସ୍ୱେଚ୍ଛାକୃତ କର୍ମୀଙ୍କୁ ନେଇ କାମ କରିଆସିଛୁ। କିନ୍ତୁ ଏବେ ଏହା ଶିଥିଳ ହୋଇ ଆସିଲାଣି।
ପାଦ ୩ ପାଇଁ କିଛି ବୈଷୟିକ ଜ୍ଞାନ ଦରକାର, ସମୟ କିନ୍ତୁ ଅତି ବେଶୀ ଦରକାର ନୁହେଁ। ତଥାପି କାମ ସହିତ ନିବିଡ଼ ଭାବରେ ଯୋଡ଼ିହେବା ଦରକାର। କାରଣ ଏହି ପାଦର ଗୋଟିଏ ବଡ଼ କାମ ହେଉଛି ପ୍ରତି ଦିନ ଆସୁଥିବା ଇ-ମେଲ୍, ମତାମତ, ଗାଳିଗୁଲଜ, ଅନୁରୋଧ (ବେଳେ ବେଳେ ଭରଣା କରିବା ଅସମ୍ଭବ) ଆଦିର ଉତ୍ତର ଦେବା ଓ ଦରକାର ଅନୁସାରେ ପଦକ୍ଷେପ ନେବା – ୱେବ୍ସ୍ଥଳୀର ତ୍ରୁଟି, ବହିର ଭୁଲ ତଥ୍ୟ, ଖୋଲୁ ନ ଥିବା ଲିଙ୍କ ସୁଧାରିବା, ଅନୁରୋଧ ଅନୁସାରେ ବହି ଖୋଜିବା ଆଦି ଏହି କାମର ଅଂଶ।
ପାଦ ୨ ଓ ୩ ଦୁଇଟିକୁ ଆମେ ହୁଏତ ଆଉ କିଛି ଦିନ ସମ୍ଭାଳି ପାରିବୁ ଓ ସେଥିପାଇଁ କିଛି ଯୋଜନା ମଧ୍ୟ କରିଛୁ। ତଥାପି ଅଧିକ ସଂଖ୍ୟାର ବହି/ପତ୍ରିକା ଡିଜିଟାଇଜ୍ କରିବା ପାଇଁ ବିଭିନ୍ନ ସ୍ଥାନରେ ନୂଆ ନୂଆ ଦଳ ଏହି କାମରେ ହାତ ଦେବା ଦରକାର।
ପାଦ ୧ ଆମର ସବୁଠାରୁ ଦୁର୍ବଳ ପାଦ। ଅଧ୍ୟାପକ/ସାହିତ୍ୟିକ/ପ୍ରଶାସକ ବନ୍ଧୁମାନଙ୍କଠାରୁ ଏହା ଆମେ ଆଶା କରୁଥିଲୁ, କିନ୍ତୁ ପାଇଛୁ ଖୁବ୍ କମ୍। ହ୍ୱାଟ୍ସ୍ଆପ୍ ଦଳଟିଏ ଗଢ଼ିବା ପଛରେ ଏହି ଲକ୍ଷ୍ୟ ହିଁ ରହିଥିଲା। ତାହା କେତେ ଦୂର ସଫଳ ହୋଇଛି ତାହା ଭାଗ ନେଉଥିବା ସଥୀମାନେ ଜାଣନ୍ତି।
ଏବେ ଆମର ଯୋଜନା ଏହିପରି। ବହି ସଂଗ୍ରହ ପାଇଁ ଆମେ ଲାଗିବୁନାହିଁ – ଲୋକବଳ ଓ ଲୋକସମ୍ପର୍କ ଦୃଷ୍ଟିରୁ ଏହା ଆମ ସାମର୍ଥ୍ୟ ବାହାରେ। ସୃଜନିକାର ନିଜ ସଂଗ୍ରହରେ ଥିବା ବହିଗୁଡ଼ିକ ଏବେ ଆମର ମୁଖ୍ୟ ଶରବ୍ୟ ହେବେ – ମୁଖ୍ୟତଃ ଓଡ଼ିଆ ବିଜ୍ଞାନ ବହି (ଜନପ୍ରିୟ ଓ ପାଠ୍ୟ/ରେଫରେନ୍ସ୍ ପୁସ୍ତକ), ଶିଶୁ ସାହିତ୍ୟ ଓ କିଛି ସାହିତ୍ୟ ବହି। ଏହା ପ୍ରାୟ ଛଅ ମାସର କାମ। କାମ ସରିବା ପରେ ବହିଗୁଡ଼ିକ ନେବା ପାଇଁ ଆଗ୍ରହୀ ଅନୁଷ୍ଠାନ ଆମେ ଖୋଜୁଛୁ। ଅନେକ ଗୁରୁତ୍ୱପୂର୍ଣ୍ଣ/ବିରଳ ଇଂରାଜୀ ବହି (ଓଡ଼ିଆ ବିଭବର ଲକ୍ଷ୍ୟ ବାହାରେ) ମଧ୍ୟ ଆମ ପାଖରେ ରହିଛି ଯାହାର ଡିଜିଟାଇଜେସନ୍ ମଧ୍ୟ ଆମେ ସମୟକ୍ରମେ କରିବୁ।
ଗୁରୁତ୍ୱପୂର୍ଣ୍ଣ ବହି ଆମପାଖରେ କେହି ପହଞ୍ଚାଇଲେ ଆମେ ସେସବୁର ଡିଜିଟାଇଜେସନ୍ କରିବୁ। କିଛି (ଦୁଇଟି) ପାଠାଗାର ତାଙ୍କ ସଂଗ୍ରହରୁ ବାଛିକରି ବହି ଯୋଗାଇବାକୁ ରାଜି ହୋଇଛନ୍ତି – ତାହା ଆମେ ଗ୍ରହଣ କରିବୁ। ଅନ୍ୟ କୌଣସି ପାଠାଗାର ଏଭଳି କଲେ ଭଲ ହେବ।
ୱେବ୍ସ୍ଥଳୀ ବିଷୟରେ ଚିନ୍ତା ଏହିପରି – ଏହାକୁ ଦେଖୁଥିବା ଅଧିକାଂଶ (୮୦ ଶତାଂଶ) ଲୋକ କେବଳ ବହି ହିଁ ଖୋଜୁଛନ୍ତି, ତା ମଧ୍ୟ ଇଂରାଜୀ ପୃଷ୍ଠାରେ ଅଧିକ (ଓଡ଼ିଆ ଟାଇପ୍ କରିପାରୁ ନ ଥିବା ଏହାର କାରଣ ବୋଲି ଆମେ ଭାବୁଛୁ)। ପତ୍ରିକାର ବ୍ୟବହାରକାରୀ ମୁଖ୍ୟତଃ ‘ଗବେଷକ’ମାନେ, ଯଦିଓ ଏମାନେ କିଛି ଯୋଗାଇବାରେ ଅନାଗ୍ରହୀ। ତଥାପି ପତ୍ରିକାଗୁଡ଼ିକୁ ଆମେ ସବୁବେଳେ ଅଧିକ ଗୁରୁତ୍ୱ ଦେଇଆସିଛୁ। ତେଣୁ ଏହି ଦୁଇଟି ବିଭାଗ ଊପରେ ଆମେ ଯୋର ଦେବୁ। ଚରିତକୋଷ, ଭାଷାକୋଷ, ରେଫରେନ୍ସ୍ ଆଦି ବିଭାଗଗୁଡ଼ିକ ଆମର ପ୍ରିୟ ହେଲେ ମଧ୍ୟ ସେଗୁଡ଼ିକ ପ୍ରାୟ ସ୍ଥାଣୁ ହୋଇ ରହିଛନ୍ତି – କାରଣ ଆମର ଜ୍ଞାନ, ସାମର୍ଥ୍ୟ ଓ ଲୋକବଳର ଅଭାବ। ଆରମ୍ଭ ବେଳେ ଆମେ ଆଶା କରିଥିଲୁ ଯେ ଏସବୁରେ ଜ୍ଞାନ ଓ ଆଗ୍ରହ ଥିବା କିଛି ଲୋକ ହାତ ବଢ଼ାଇବେ, କିନ୍ତୁ ତାହା ଘଟିନାହିଁ। ତେଣୁ ଏଗୁଡ଼ିକୁ କାଢ଼ିଦେବାକୁ ବା କାଣ୍ଟଛାଣ୍ଟ କରିବାକୁ ଆମେ ବାଧ୍ୟ ହେବୁ।
ତେବେ ଏହି ସବୁ କାମର ଯୋଜନା ବର୍ଷକ ପାଇଁ। ତା’ପର ସମୟ କଥା ଆପଣମାନଙ୍କୁ ଏବେଠାରୁ ଚିନ୍ତା କରିବାକୁ ହିଁ ହେବ।
୨୩ ମେ ୨୦୨୧, ରବିବାର
ଓଡ଼ିଆ ବିଭବ’ ପଛରେ ଥିବା ସୃଜନିକାର ଡିଜିଟାଇଜେସନ୍ କାମ ଏବେ ବନ୍ଦ ହୋଇଯାଇଛି। ଏହା ଯେ ଘଟିବ ସେ ବିଷୟରେ ଅନେକ ଆଲୋଚନା ଆଗରୁ କରାଯାଇଛି, ଚଳାଇ ରଖିବା ପାଇଁ ଯାହା ଦରକାର ସେଥିପାଇଁ ଅନେକ ନିବେଦନ ମଧ୍ୟ କରାଯାଇଛି। କିନ୍ତୁ ସେସବୁର କିଛି ଫଳ ମିଳିନାହିଁ। ତେଣୁ ଲୋକବଳର ଓ ବୌଦ୍ଧିକ ସହାୟତାର ଅଭାବରେ ଯାହା ଘଟିବା କଥା ତାହା ହିଁ ହୋଇଛି।
ପନ୍ଦର ବର୍ଷରୁ ଅଧିକ ସମୟ ଧରି ଚାଲିଥିବା କାମଟି ଆମ ପାଇଁ ଅନେକ ଆହ୍ୱାନ, ଆନନ୍ଦ, ଶିକ୍ଷା, ପ୍ରେରଣା ଏବଂ ଅବସାଦ ଆଣିଛି। କିନ୍ତୁ ସାମଗ୍ରିକ ଭାବରେ ଦେଖିଲେ ଏହା ଥିଲା ଏକ କଠିନ କିନ୍ତୁ ଉତ୍ସାହଜନକ କାମ। ଅବସାଦ/ହତାଶାର ମୁଖ୍ୟ କାରଣ ଥିଲା ଏହା ଯେ ଏହି କାମର କିଛି ବଡ଼ ପ୍ରଶଂସକ ଏଥିପାଇଁ କୌଣସି ଅବଦାନ ରଖିଲେ ନାହିଁ। ନିଜର ବା ନିଜ ସଂଗ୍ରହରୁ ବହି କିଛି ଦେବା ପାଇଁ ବା ନିଜର ଚିହ୍ନା ଜଣା ଲେଖଙ୍କ ଠାରୁ ବହି/ସମ୍ମତି ଆଣିବା ପାଇଁ ଆମର ବାରମ୍ବାର ଅନୁରୋଧକୁ ସେମାନେ ଏଡ଼ାଇ ଗଲେ।
ତେବେ ଆଗକୁ କିଛି ଆଶା ମଧ୍ୟ ରହିଛି। ସ୍ଥାନୀୟ ‘ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ’ (ସୋଆ) ତାଙ୍କର ‘ପ୍ରାଚୀନ’ କାର୍ଯ୍ୟକ୍ରମର ଅଂଶ ଭାବରେ ଡିଜିଟାଇଜେସନ୍ କାମ ଆରମ୍ଭ କରିଛନ୍ତି। ସେଥିରେ ଆମର ଦୁଇଜଣ ପୁରୁଣା କର୍ମୀ ଯୋଗଦେଇଛନ୍ତି, ସୃଜନିକାର ଯନ୍ତ୍ର ତାଙ୍କ ବ୍ୟବହାର ପାଇଁ ଯୋଗାଇ ଦିଆଯାଇଛି, କାମଟି ପ୍ରତିଷ୍ଠିତ ହେବାଯାଏଁ ଆମର ସଂପୃକ୍ତି ମଧ୍ୟ ରହିଛି। ତଥାପି ସୃଜନିକା ଯେଉଁ ବୌଦ୍ଧିକ ସଂପୃକ୍ତିର ଅଭାବର ସାମନା କରିଥିଲା ତାହା ସେଠାରେ ମଧ୍ୟ ରହିବାର ଡର ଅଛି। ବର୍ତ୍ତମାନର ଅଡ଼ୁଆ ପରିସ୍ଥିତି ସୁଧୁରିଲେ ନୂଆ ଚିନ୍ତା ଓ ବ୍ୟବସ୍ଥା କିଛି କରାଯାଇ ପାରିବ।
ଅଳ୍ପ ଖର୍ଚ୍ଚରେ ଓ ଗଭୀର ବୈଷୟିକ ଜ୍ଞାନ ନ ଥାଇ ମଧ୍ୟ ଡିଜିଟାଇଜେସନ୍ କାମ କିପରି କରାଯାଇ ପାରିବ ସେଥି ପାଇଁ କିଛି ବାଟ ସୃଜନିକା ଦେଖାଇପାରିବ। ଏହାକୁ ଆଧାର କରି ବାଲେଶ୍ୱର ଓ ବ୍ରହ୍ମପୁର ଠାରେ ଦୁଇଟି ଉଦ୍ୟମ ବିଷୟରେ କଥା ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଯିବାଆସିବା ସମ୍ଭବ ନୁହେଁ, ତେଣୁ ସବୁ କିଛି ଅଟକିଯାଇଛି। ନୂଆ ଉଦ୍ୟମ ଆରମ୍ଭ କରିବା ପାଇଁ ମୁଁ ବ୍ୟକ୍ତିଗତ ଭାବରେ ଲାଗିବାର ଯୋଜନା ରକିଛି। କେହି ଆଗ୍ରହୀ ଥିଲେ ଯୋଗାଯୋଗ କରିବାକୁ ଅନୁରୋଧ।
‘ଓଡ଼ିଆ ବିଭବ’ ୱେବେସ୍ଥଳୀକୁ ଚଳାଇ ରଖିବାର ଦାୟିତ୍ୱ ଏବେ ମଧ୍ୟ ସୃଜନିକା ହାତରେ ରହିବ। କିନ୍ତୁ ଗୋଟିଏ ଅଲଗା ଦଳ କିପରି ଏହାକୁ ଚଳାଇ ରଖିବ ସେ ବିଷୟରେ ଆଲୋଚନା ଚାଲିଛି। ସବୁକିଛି ଆମର ଚାହିଁବା ଅନୁସାରେ ଯେ ହୋଇପାରିବନାହିଁ ତାହା ନିଶ୍ଚିତ। ନୂଆ ଲୋକ ଓ ନୂଆ ଚିନ୍ତା ଆସିଲେ ଅନେକ କିଛି ଅଧିକ ଯେ ହୋଇପାରିବ ସେ ଆଶା ମଧ୍ୟ ରହିଛି।
ସୃଜନିକା ତରଫରୁ ଆମେ ଆଶା କରୁଛୁ ଯେ ଯେଉଁଠି ବି ହେଉଥିଲେ ମଧ୍ୟ ଡିଜିଟାଇଜେସନ୍ କାମରେ ଆପଣମାନଙ୍କର ଆଗ୍ରହ ରହିବ ଏବଂ ସଂପୃକ୍ତି ବଢ଼ିବ।