ସୃଜନିକାର ସନ୍ତକ। / Srujanika logo.

ସୃଜନିକାର ସନ୍ତକ।

 

 

HP Scanjet 4670 see-through scanner.

HP Scanjet 4670 Scanner ଏହି ଯନ୍ତ୍ର ସାହାଯ୍ୟରେ ଭାଷାକୋଷ ଡିଜିଟାଲ ରୂପ ପାଇଲା। ଏହାର ସ୍କାନିଙ୍ଗ ଅଂଶକୁ ଓଲଟାଇ ବହି ଉପରେ ରଖିହୁଏ ଏବଂ ସ୍ୱଚ୍ଛ ଦେହ ଭିତର ଦେଇ ସ୍କାନ ହେଉଥିବା ପୃଷ୍ଠାକୁ ଦେଖି ଠିକ୍ ଜାଗାରେ ରଖିହୁଏ (ତଳ ଫଟୋ)। ଅଳ୍ପ ଦିନ ଭିତରେ ଏହାର ତିଆରି ବନ୍ଦ ହୋଇଗଲା।

HP 4670 Scaaner in position for digitizing thick books like Bhasakosha.

 

 

ବହି ଫଟୋଉଠା ଯନ୍ତ୍ର / Imaging setup

ଏହି ହାତ ତିଆରି ଅଳ୍ପ ଖର୍ଚ୍ଚର ଯନ୍ତ୍ର ସାହାଯ୍ୟରେ ସହଜରେ ଲକ୍ଷ ଲକ୍ଷ ପୃଷ୍ଠା ଡିଜିଟାଇଜ୍ କରାଯାଇଛି।

ସୃଜନିକା

‘ଓଡ଼ିଆ ବିଭବ’ ୱେବ୍‌ସ୍ଥଳୀକୁ ରୂପଦେବାରେ ମୂଳ ଭୂମିକା ନେଇଛି ସୃଜନିକା ନାମକ ଦଳଟିଏ।

ବିଜ୍ଞାନକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ନେଇ ୧୯୮୦ ଦଶକ ଆରମ୍ଭରେ ସୃଜନିକାର ଜନ୍ମ ହୋଇଥିଲା। ସମୟ କ୍ରମେ ସୃଜନିକା ବିଜ୍ଞାନ ଓ ଶିକ୍ଷା ଦିଗରେ ଏକ ସାଧନକେନ୍ଦ୍ରର ରୂପ ନେଇଥିଲା। ବିଜ୍ଞାନର ଏକ ବ୍ୟାପକ ଏବଂ ଗଭୀର ଅନୁଭୂତି ଆଣିବାକୁ ଏହା ଚେଷ୍ଟା କରିଥିଲା। ପିଲାଙ୍କ ମନରେ ବିଜ୍ଞାନ ମାନସିକତାର ମୂଳଦୁଆ ପକାଇବାରେ ମାଧ୍ୟମ ହେବା ପାଇଁ ଏହା ବୟସ୍କମାନଙ୍କୁ ମନାଇବା ଦିଗରେ କାମ କରୁଥିଲା।

ସୃଜନିକା ପାଇଁ ଲକ୍ଷ୍ୟସାଧନର ମୂଳ ବାଟ ଥିଲା ଜୀବନ୍ତ ସମ୍ପର୍କ ଯୋଡ଼ିବା। ପିଲା, ଶିକ୍ଷକ, କର୍ମୀ ଓ ଆଗ୍ରହୀ ବୟସ୍କଙ୍କ ପାଇଁ କର୍ମଶାଳା, ଶିବିର, ଆଲୋଚନାଚକ୍ର ଆଦିର ଆୟୋଜନ ଏହି ସମ୍ପର୍କର ସ୍ଥୂଳ ରୂପ ଥିଲା। ଏସବୁର ମୂଳ ମନ୍ତ୍ର ଥିଲା, “ଚାରିପାଖର ଜିନିଷକୁ ନେଇ ଶିଖିବା”। ଏଥିରେ ତାରା, ଆକାଶ, ଗଛଲତା ବା କାଗଜ ଖଣ୍ଡ ସବୁକିଛି ଶିଖିବାର ମଜା ଆଣିଦେଉଥିଲେ। ହାତରେ କରିବା, ମୁଣ୍ଡ ଖେଳାଇବା ଓ କାମରେ ଲଗାଇବାର ବାଟ ବାହାର କରିବା ଭିତରେ ହିଁ ବିଜ୍ଞାନର ଗଭୀର ଅନୁଭୂତି ଆଣିବାର ମଞ୍ଜି ରହୁଥିଲା।

ବ୍ୟକ୍ତିଗତ ସମ୍ପର୍କରୁ ଆସୁଥିବା ଅନୁଭୂତିକୁ ଗଭୀରତର ଓ ଦୀର୍ଘସ୍ଥାୟୀ କରିବା ପାଇଁ କାମ କରୁଥିଲେ ସୃଜନିକାର ବିଭିନ୍ନ ପ୍ରକାଶନ। ଏହା ଭିତରେ ଥିଲେ କାମର ବାଟ ଦେଖାଇବା ପାଇଁ ସଚିତ୍ର ସହାୟକ ଏବଂ କର୍ମୀ ଓ ଶିକ୍ଷକଙ୍କ ପାଇଁ ମନଛୁଆଁ ସାଧନ ପୁସ୍ତକ ଆଦି। ଏସବୁର ଅନୁପୂରକ ଭାବରେ କାମ କରୁଥିଲେ ବିଜ୍ଞାନ ଖେଳନା ଓ ମଡେଲ, ପରଖ କିଟ୍ ଏବଂ ପୋଷ୍ଟର ଓ ସ୍ଲାଇଡ ଭଳି ଦୃଶ୍ୟଶ୍ରାବ୍ୟ ସାମଗ୍ରୀ।

ବିଭିନ୍ନ କାମ ଓ ଚିନ୍ତାର କେନ୍ଦ୍ରରେ ଥିଲା ବିଜ୍ଞାନ ତରଙ୍ଗ ପତ୍ରିକା। ଶିକ୍ଷା, ବିଜ୍ଞାନ ଓ ବିକାଶ ଆଧାରିତ ଏହି ପତ୍ରିକା ବିଜ୍ଞାନର ଉଦ୍ଦୀପନାକୁ ପାଠକର ମନରେ ଖେଳାଇବାକୁ ଚେଷ୍ଟା କରୁଥିଲା। ଅନୁସନ୍ଧିତ୍ସା ତଥା ସୃଜନଶୀଳତାକୁ ବଢ଼ାଇବାର ଚେଷ୍ଟା ସହିତ ବିଜ୍ଞାନ ତରଙ୍ଗ ପିଲା ଓ କର୍ମୀମାନଙ୍କ ଭିତରେ ସମ୍ପର୍କ ଯୋଡ଼ିବାର ମାଧ୍ୟମ ମଧ୍ୟ ଥିଲା

ସୃଜନିକାର କାମର ମାଧ୍ୟମ ଥିଲା ଓଡ଼ିଆ ଭାଷା – ସରଳ ଭାଷାରେ ବିଜ୍ଞାନକୁ ବୁଝାଇବା ଏବଂ ବିଜ୍ଞାନ ସମ୍ପର୍କିତ ଆଧୁନିକ ଶବ୍ଦଗୁଡ଼ିକୁ ଓଡ଼ିଆ ଭାଷାରେ ଯୋଡ଼ିବା ଦିଗରେ ଏହା ଚେଷ୍ଟା କରୁଥିଲା। ଏହି ଲକ୍ଷ୍ୟରେ କରାଯାଇଥିବା ଦୁଇଟି ମୁଖ୍ୟ କାମ ଥିଲା – ୧. ଓଡ଼ିଆ ଭାଷାରେ ଲେଖାଯାଇଥିବା ବିଜ୍ଞାନ ରଚନାଗୁଡ଼ିକୁ ଏକାଠି କରି ସେଥିରୁ ଶବ୍ଦ ଖୋଜିବା, ଏବଂ ୨. ବିଭିନ୍ନ ଓଡ଼ିଆ ଅଭିଧାନରେ ରହିଥିବା ବିଜ୍ଞାନ ସମ୍ପର୍କିତ ଶବ୍ଦ ଓ ବ୍ୟାଖ୍ୟାର ସମୀକ୍ଷା କରିବା। ଦ୍ୱିତୀୟ କାମ ସମୟରେ ଆମକୁ ବିଶେଷ ବାବରେ ପ୍ରଭାବିତ କରିଥିଲା ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ର ବିଜ୍ଞାନ ବିଭବ।

ଏହି କାମ ଦୁଇଟିରୁ ଆଉ ଗୋଟିଏ ବଡ଼ କଥା ବୁଝିହେଲା – ଭାଷାକୋଷ ଓ ପୁରୁଣା ଓଡ଼ିଆ ବହି ଓ ପତ୍ରିକା ପାଇବା କେତେ କଷ୍ଟ। ଏହି କଷ୍ଟକର ଅନୁଭୂତିରୁ ଅଙ୍କୁରିଲା ଓଡ଼ିଆ ମୁଦ୍ରିତ ସାମଗ୍ରୀର ସଂରକ୍ଷଣ ଓ ବିତରଣର ଚିନ୍ତା। ତାହା ଥିଲା ୨୦୦୪ ମସିହାର କଥା।

ଡିଜିଟାଇଜେସନ୍

କମ୍ପ୍ୟୁଟର ଆଧାରିତ ସଂରକ୍ଷଣ ଏବେ ବେଶ୍ ସାଧାରଣ କଥା, କିନ୍ତୁ ୨୦୦୪ ମସିହାରେ ଓଡ଼ିଶାରେ ତା’ର ସ୍ୱପ୍ନ ବି ନ ଥିଲା। ମିଳୁଥିବା ଉପକରଣ ଦୁର୍ମୂଲ୍ୟ ମଧ୍ୟ ଥିଲା। ତେବେ ବିଭିନ୍ନ ପରୀକ୍ଷା ଭିତରେ ଅଳ୍ପ ଖର୍ଚ୍ଚର ବାଟ କିଛି ବାହାରିପାରିଲା।

ସେ ସମୟରେ ବାହାରି ଥିବା ଗୋଟିଏ ବିଶେଷ ଧରଣର ସ୍କାନର୍ (କଡ଼ର ଚିତ୍ର ଦେଖନ୍ତୁ) ଉପଯୋଗୀ ମନେହେଲା ଏବଂ ପ୍ରାୟ ବର୍ଷକର ପରୀକ୍ଷା ନିରୀକ୍ଷା ପରେ ଭାଷାକୋଷର ଡିଜିଟାଇଜେସନ୍ କାମ ଆରମ୍ଭ ହୋଇପାରିଲା ୨୦୦୬ ମସିହା ଖରାଦିନରେ। ଶେଷରେ ୨୦୦୬ ମସିହା ନଭେମ୍ବର ମାସରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସାତଖଣ୍ଡ ଯାକ ଗୋଟିଏ ମାତ୍ର ସିଡିରେ ଉପଲବ୍ଧ ହୋଇପାରିଲା।ଏହା ସହିତ ଖୋଜିବାର ସୁବିଧା ପାଇଁ ଗୋଟିଏ ସୂଚୀ ମଧ୍ୟ ସେଥିରେ ଯୋଡ଼ାଯାଇ ଇ-ଭାଷାକୋଷ ରୂପରେ ତାହା ମିଳିପାରିଲା।

ଏହି ଯନ୍ତ୍ରରେ କାମକରିବା କିନ୍ତୁ ଖୁବ୍ ସମୟସାପେକ୍ଷ ଥିଲା। ତେଣୁ ଡିଜିଟାଇଜେସନ୍‌ର ବେଗ ବଢ଼ାଇବା ପାଇଁ ଅଧିକ ପରୀକ୍ଷଣ ପରେ କମ୍ପ୍ୟୁଟର ନିୟନ୍ତ୍ରିତ ଡିଜିଟାଲ କ୍ୟାମେରା ଆଧାରରେ ଗୋଟିଏ ହାତ ତିଆରି ଯନ୍ତ୍ର ଗଢ଼ାଯାଇପାରିଲା (କଡ଼ର ଚିତ୍ର ଦେଖନ୍ତୁ)। ଏହା ସହିତ ଏକ ମୁକ୍ତଉତ୍ସ (ଓପନ୍‌ସୋର୍ସ) କମ୍ପ୍ୟୁଟର ପ୍ରୋଗ୍ରାମ ମିଶାଇ ଏକ ଶକ୍ତିଶାଳୀ ଡିଜିଟାଇଜେସନ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା।

ଏଭଳି ବ୍ୟବସ୍ଥା ସାହାଯ୍ୟରେ ଏବେ ପ୍ରାୟ ୧୦ଲକ୍ଷ ପୃଷ୍ଠାର ଓଡ଼ିଆ ବହିପତ୍ର ଡିଜିଟାଇଜ୍ କରାଗଲାଣି। ଏସବୁ ଭିତରେ ରହିଛି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଓଡ଼ିଆ ଅଭିଧାନ ସଂଗ୍ରହ (୧୮୧୧-୧୯୪୨), ଓଡ଼ିଆ ବିଜ୍ଞାନ ସାହିତ୍ୟ (୧୮୫୬-୧୯୫୦), ଓଡ଼ିଆ ପତ୍ରପତ୍ରିକା ସଂଗ୍ରହ (୧୮୫୬-୧୯୫୦) ଏବଂ କେତେକ ସ୍ରଷ୍ଟାଭିତ୍ତିକ ସଂକଳନ। ଏହା ସହିତ ପ୍ରକାଶିତ ଓଡ଼ିଆ ବହିର ଏକ ସୂଚୀ ପ୍ରସ୍ତୁତି ପାଇଁ ଚେଷ୍ଟା ମଧ୍ୟ ଏବେ କରାଯାଉଛି।