ଦିଗନ୍ତ

ଦିଗନ୍ତ ୧୯୫୯ରେ କଟକରୁ ପ୍ରକାଶିତ, ଓଡ଼ିଆ ଭାଷାର ଅନ୍ୟତମ ସ୍ଵତନ୍ତ୍ର ରୁଚିର ସାହିତ୍ୟ-ସଂସ୍କୃତି ଓ ସମାଜ ବିଷୟ ଆଧାରିତ ପତ୍ରିକା। ପ୍ରଥମେ ଦ୍ୱିମାସିକ ଓ ପରେ ମାସିକ, ତ୍ରୈମାସିକ। ପତ୍ରିକାର ମାର୍ଚ୍ଚ ୧୯୬୩ ସଂଖ୍ୟାରେ ସୂଚନା ରହିଛି ଯେ ପୂର୍ବରୁ ଏହା ପ୍ରକାଶ ପାଇ, ୧୯୫୦ରେ ବନ୍ଦ ହୋଇ ପୁଣି ୧୯୫୯ରେ ପ୍ରକାଶିତ। ତେବେ ପତ୍ରିକାର ଏହି ନୂଆ ରୂପ, ୧୯୫୯ରୁ ମନୋଜ ଦାସ ଓ ରାହାସ ରାୟ; ୧୯୬୩ ଜୁନ-ଜୁଲାଇରୁ ରାହସ ରାୟ ଓ ଭଗବାନ ନାୟକବର୍ମା; ୧୯୬୪ ଅକ୍ଟୋବରରୁ ରଫିଉଦ୍ଦିନଙ୍କ ପରିଚାଳନା; ୧୯୬୬, ଅଷ୍ଟମ ବର୍ଷ ୩ୟ-୪ର୍ଥ ସଂଖ୍ୟାଠାରୁ ସଚ୍ଚିଦାନନ୍ଦ ରାଉତରାୟଙ୍କ ସମ୍ପାଦନାରେ ପ୍ରକାଶପାଇଛି।

ମନୋଜ ଦାସ କଟକ ଛାଡ଼ି ପଣ୍ଡିଚେରିସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ଯୋଗ ଦେଇଛନ୍ତି ଏବଂ ଓଡ଼ିଆ ଭାଷାର ଅନ୍ୟତମ ‘ଶ୍ରେଷ୍ଠ ସାଧକ’, ସଚ୍ଚି ରାଉତରାୟଙ୍କ କାର୍ଯ୍ୟଭାର ଗ୍ରହଣ ପରେ ପତ୍ରିକାକୁ ‘ନବ ଚେତନାର ପ୍ରତିନିଧି’ ବୋଲି କୁହାଯାଇଛି। ଏହି ପତ୍ରିକା, ଭାବ, ଭାଷା ଓ ଉପସ୍ଥାପନ କ୍ଷେତ୍ରରେ ଓଡ଼ିଆ ସାହିତ୍ୟକୁ ଯେ ନୂଆ ଆୟାମ ଦେବାପାଇଁ ଚେଷ୍ଟିତ, ତାହା ୧୯୬୧ ମସିହା ଫେବ୍ରୁଆରି ସଂଖ୍ୟାର ସମ୍ପାଦକୀୟରେ ସୁସ୍ପଷ୍ଟ। କୁହାଯାଇଛି, “କୌଣସି ମିଛ ଗାମ୍ଭୀର୍ଯ୍ୟ ବଜାୟ ରଖି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଡ୍ରଇଂ ରୁମ୍‌ର ଶୋଭାବର୍ଦ୍ଧନ ଦିଗନ୍ତର ଆଭିମୁଖ୍ୟ ନୁହେଁ। ଦିଗନ୍ତର ଆଭିଜାତ୍ୟ ଅଛି। ସେ ଆଭିଜାତ୍ୟ – ଏକ ଦିଗରେ ରୁଚିହୀନ ଗୁଡ଼ିଏ ଅଶ୍ଳୀଳତା ଓ ବୀଭତ୍ସତାକୁ ପ୍ରଶ୍ରୟ ଦେଇ ତଥାକଥିତ ଲୋକପ୍ରିୟତା ହାସଲ କରିବା ଓ ଅନ୍ୟ ଦିଗରେ କୌଣସି ଗୋଷ୍ଠୀର ପ୍ରଚାରପତ୍ର ହେବାରୁ ଦିଗନ୍ତକୁ ଦୂରେଇ ରଖିଛି। x x x ଦିଗନ୍ତ ବନ୍ଦ ହେଲେ ତରୁଣ ସାହିତ୍ୟିକମାନଙ୍କ ପ୍ରତି ତାହା ଏକ ଖରାପ ଉଦାହରଣ ହୋଇ ରହିବ।“

ଦିଗନ୍ତର ସମ୍ପାଦକୀୟ ପୃଷ୍ଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚିତ ହୋଇଛି। ଏସବୁ ଭିତରେ ରହିଛି – ‘ଶବ୍ଦର ପ୍ରୟୋଗ‘, ‘ସମାଜପାଇଁ କଳା କି କଳାପାଇଁ କଳା?‘, ‘ହାସ୍ୟରସ ସମାଜରେ ସାହିତ୍ୟର ଗୁରୁତ୍ୱ ହ୍ରାସପାଇଛି କି?‘, ‘ସାହିତ୍ୟ ଏକ ଜାତିର ଚେତନାର ସମକକ୍ଷ ହେବାର ସମୀଚୀନତା‘, ‘ସମାଲୋଚକ କାହାକୁ କହିବା?‘, ‘ପ୍ରବୀଣତ୍ୱ ଓ ନବୀନତ୍ୱ ମଧ୍ୟରେ ସଂଘର୍ଷ‘, ‘ଜୀବନପାଇଁ କଳା‘, ‘ସାହିତ୍ୟ ଓ ମୂଲ୍ୟବୋଧ‘, ‘ସାହିତ୍ୟରେ ମତ, ମତାନ୍ତର ଓ ସୌଜନ୍ୟବୋଧ‘, ‘ବର୍ଣ୍ଣ ସଂସ୍କାର‘, ‘ସମାଲୋଚନାରେ ନିରପେକ୍ଷତା‘, ‘ଓଡ଼ିଶାରେ ସାହିତ୍ୟିକ ଦୃଶ୍ୟପଟ୍ଟ‘ ଆଦି ବହୁ ବିତର୍କିତ ପ୍ରସଙ୍ଗ।

ଦିଗନ୍ତରେ ଗପ, କବିତା, ପ୍ରବନ୍ଧ, ରମ୍ୟରଚନା, ସାହିତ୍ୟ ସମାଲୋଚନା, ପୁସ୍ତକ ସମୀକ୍ଷା ବିଭାଗମାନ ଅବଶ୍ୟ ରହିଛି। ମାତ୍ର ପ୍ରାଚୀନ ସାହିତ୍ୟକୁ ଆଧୁନିକ ଅବବୋଧରେ ଚର୍ଚ୍ଚା, ଏହାର ବିଶେଷତ୍ଵ। ସଚ୍ଚି ରାଉତରାୟଙ୍କ ସମ୍ପାଦନା କାଳରେ ଏଥିରେ ଚିତ୍ରକଳା ଓ ଭାସ୍କର୍ଯ୍ୟ, ଛୋଟଗଳ୍ପ, ଦର୍ଶନ, ଭାରତୀୟ ସାହିତ୍ୟ, ପ୍ରତ୍ନ ସାହିତ୍ୟ, ବିଶ୍ୱ ସାହିତ୍ୟ ଆଦି ସ୍ଵତନ୍ତ୍ର ବିଭାଗ ଏବଂ ଆଧୁନିକ ଚିତ୍ରକର ଓ ସ୍ଥପତିମାନଙ୍କର ଚିତ୍ର ଓ ଭାସ୍କର୍ଯ୍ୟ ମଧ୍ୟ ସଂଯୋଜିତ ହୋଇଛି।

ସବୁ ଦୃଷ୍ଟିରୁ ଦେଖିଲେ ଦିଗନ୍ତ ପତ୍ରିକାକୁ ଓଡ଼ିଶାର ଦୁଇଜଣ କ୍ରାନ୍ତିକାରୀ ସ୍ରଷ୍ଟା ମନୋଜ ଦାସ ଓ ସଚ୍ଚି ରାଉତରାୟଙ୍କ ବିଚାରର ମୁଖପତ୍ର କୁହାଯାଇ ପାରିବ।

(ସୌଜନ୍ୟ: ସମ୍ବାଦ ସାହିତ୍ୟ କୋଷ)

ଦିଗନ୍ତ ସଂଖ୍ୟାଗୁଡ଼ିକ ମିଳିଛି www.worldofmanojdas.in ୱେବ୍‌ସ୍ଥଳୀରୁ (ଭାଗ ୧-୪) ଏବଂ ଶ୍ରୀହର୍ଷ ରାଉତରାୟଙ୍କ ଠାରୁ।

 

ଦିଗନ୍ତ ସୂଚୀ

ତଳ ସାରଣୀରେ ଦିଗନ୍ତ ପତ୍ରିକାର ମିଳିଥିବା ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ‘Download’ ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ।

ଭାଗ/ବର୍ଷ Vol./Year ଭାଗ/ବର୍ଷ Vol./Year ଭାଗ/ବର୍ଷ Vol./Year
ଭାଗ୦୧ (୧୯୫୯)
v.01 (1959)
Download
ଭାଗ୦୨ (୧୯୬୦)
v.02 (1960)
Download
ଭାଗ୦୩ (୧୯୬୧)
v.03 (1961)
Download
ଭାଗ୦୪ (୧୯୬୨)
v.04 (1962)
Download
ଭାଗ୦୫ (୧୯୬୩)
v.05 (1963)
Download
ଭାଗ୦୬ (୧୯୬୪)
v.06 (1964)
Download
ଭାଗ୦୭ (୧୯୬୫)
v.07 (1965)
Download
ଭାଗ୦୮ (୧୯୬୬)
v.08 (1965)
Download
ଭାଗ୦୯ (୧୯୬୭)
v.09 (1966)
Download
୧୯୭୭-୭୯
1977-79
Download
୧୯୮୧-୮୯
1981-89
Download
ଗଳ୍ପ ସଂକଳନ
Galpa Sankalana
Download
କବିତା ସଂକଳନ
Kabita Sankalana
Download